ଓଡ଼ିଆ ସାହିତ୍ୟର କ୍ରମବିକାଶ
ଓଡ଼ିଆ ଭାଷା ଓ ସାହିତ୍ୟ ଭାରତ ବର୍ଷର ଅନ୍ୟତମ ପ୍ରାଚୀନ ଓ ଗୌରବମୟ ପରମ୍ପରା ବହନ କରିଛି। ସଂସ୍କୃତ, ପାଲି, ପ୍ରାକୃତ ଓ ଅପଭ୍ରଂଶ ଭାଷାର କୁକ୍ଷୀରୁ ଦଶମ/ଏକାଦଶ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷାର ଆଦି ଉନ୍ମେଷ ଘଟିଥିଲା। ଲିପିର ବିକାଶ ସହିତ ସାହିତ୍ୟର ସୃଷ୍ଟି ହୋଇଛି। ଲିପିବଦ୍ଧ ସାହିତ୍ୟ ପୂର୍ବରୁ ଲୋକମୁଖରେ କବିତା, ଢଗଢମାଳି ଓ ପ୍ରବାଦ ଆକାରରେ ଲୋକସାହିତ୍ୟ ପ୍ରଚଳିତ ଥିଲା, ମାତ୍ର ଲିଖିତ ରୂପ ନ ଥିବାରୁ ଏହାକୁ ପ୍ରଥମ ସୃଷ୍ଟି ଭାବରେ ଗ୍ରହଣ କରିବା ବିଚାରସାପେକ୍ଷ।
ସାରଳା ଯୁଗ (ଆଦିଯୁଗ)
ପଞ୍ଚଦଶ ଶତାବ୍ଦୀ ବେଳକୁ ଗଜପତି କପିଳେନ୍ଦ୍ର ଦେବଙ୍କ ରାଜତ୍ୱ କାଳରେ ଓଡ଼ିଆ ଭାଷା କ୍ରମଶଃ ମାର୍ଜିତ ହୋଇଗଲାଣି। ଏହି ସମୟରେ ମାଟିର ମହାକବି ସାରଳା ଦାସ (ପୂର୍ବ ନାମ ସିଦ୍ଧେଶ୍ୱର ପରିଡ଼ା) ଖାଣ୍ଟି ଓଡ଼ିଆ ଭାଷାରେ ମହାଭାରତ, ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ ଆଦି ଗ୍ରନ୍ଥ ରଚନା କଲେ। ତାଙ୍କ ମହାଭାରତ ସଂସ୍କୃତ ମହାଭାରତର ଅନୁବାଦ ନୁହେଁ, ବରଂ ଓଡ଼ିଶାର ଭୂଗୋଳ, ଧର୍ମପୀଠ, ଲୋକବିଶ୍ୱାସ ଓ କିମ୍ବଦନ୍ତୀକୁ ନେଇ ଏକ ଅନୁସୃଷ୍ଟି। ସାରଳା ଦାସ ହିଁ ଓଡ଼ିଆ ଭାଷାର ଆଦିକବି ଭାବରେ ପରିଚିତ ଏବଂ ଓଡ଼ିଆ ଜାତୀୟତାବୋଧର ପ୍ରଥମ ରୂପକାର।
ପଞ୍ଚସଖା ଯୁଗ
ଷୋଡ଼ଶ ଶତାବ୍ଦୀରେ ସାରଳା ଦାସଙ୍କ ପରେ ପାଞ୍ଚଜଣ ସନ୍ଥ କବି – ବଳରାମ ଦାସ, ଜଗନ୍ନାଥ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ ଓ ଶିଶୁ ଅନନ୍ତ ଦାସ – ଆବିର୍ଭାବ ହେଲେ। ଏହି ପାଞ୍ଚଜଣ ଭକ୍ତ କବି 'ପଞ୍ଚସଖା' ନାମରେ ପରିଚିତ। ସେମାନେ ଶ୍ରୀଜଗନ୍ନାଥ ଓ ଜଗନ୍ନାଥ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଯୋଗ ଓ ଶୂନ୍ୟବାଦ ଉପରେ ଗୁରୁତ୍ୱ ଦେଲେ। ପିଣ୍ଡକୁ ବ୍ରହ୍ମାଣ୍ଡ କଳ୍ପନା କଲେ, ଜାତିଭେଦ ମାନିଲେ ନାହିଁ ଏବଂ ନିଜକୁ ଶୁଦ୍ର ଘୋଷଣା କଲେ। ଶ୍ରୀଚୈତନ୍ୟ ମଧ୍ୟ ସେମାନଙ୍କ ପ୍ରତିଭାକୁ ସମ୍ମାନ ଦେଇଥିଲେ। ବଳରାମ ଦାସଙ୍କ 'ଜଗମୋହନ ରାମାୟଣ' (ଦାଣ୍ଡୀ ରାମାୟଣ) ଓ 'ଲକ୍ଷ୍ମୀ ପୁରାଣ' ଏହି ଯୁଗର ପ୍ରମୁଖ କୃତି। 'ଲକ୍ଷ୍ମୀ ପୁରାଣ' ଜାତିଭେଦ ବିଲୋପ ଓ ନାରୀ ସ୍ୱାତନ୍ତ୍ର୍ୟ ପାଇଁ ଏକ ଆହ୍ୱାନ ଥିଲା।
ପ୍ରାକ୍-ରୀତି ଯୁଗ
୧୫୬୮ ଖ୍ରୀ:ଅ.ରେ ମୁକୁନ୍ଦଦେବଙ୍କ ମୃତ୍ୟୁ ପରେ ଓଡ଼ିଶା ପରାଧୀନ ହେଲା ଏବଂ ଖଣ୍ଡଖଣ୍ଡ ହୋଇଗଲା। ଏହି ଷୋଡ଼ଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ସପ୍ତଦଶ ଶତାବ୍ଦୀର ମଧ୍ୟ ଭାଗ ପର୍ଯ୍ୟନ୍ତ ପ୍ରାୟ ଶହେ ବର୍ଷ ଧରି ଯେଉଁ କାବ୍ୟଧାରା ପ୍ରଚଳିତ ହେଲା, ତାହାକୁ 'ପ୍ରାକ୍-ରୀତି ଯୁଗ' କୁହାଯାଏ। ଏହି ଯୁଗରେ ରାଜାମାନେ ଦରବାର ପ୍ରତିଷ୍ଠା କରି କବିମାନଙ୍କୁ ଆଶ୍ରୟ ଦେଲେ। ଏହି ସମୟର କାବ୍ୟରେ ସ୍ୱଳ୍ପ ଅଳଙ୍କାର ପ୍ରୟୋଗ କରାଯାଇ ବିଭିନ୍ନ ରାଗରାଗିଣୀରେ କାବ୍ୟକୁ ହୃଦୟଗ୍ରାହୀ କରିବାକୁ ଚେଷ୍ଟା କରାଗଲା। ଦ୍ୱାଦଶ ଶତାବ୍ଦୀରେ ଜୟଦେବଙ୍କ ସଂସ୍କୃତ 'ଗୀତଗୋବିନ୍ଦ' କାବ୍ୟର ଭାଷା ଓ ଛନ୍ଦ ଏହି ଯୁଗର କବିମାନଙ୍କୁ ପ୍ରଭାବିତ କରିଥିଲା। ଅର୍ଜୁନ ଦାସ ସର୍ବପ୍ରଥମେ ୧୫୨୯ ଖ୍ରୀ:ଅ.ରେ 'ରାମବିଭା' କାବ୍ୟ ରଚନା କରି ପୌରାଣିକ ଓ କାଳ୍ପନିକ କାବ୍ୟ ରଚନାର ନୂତନ ପରମ୍ପରା ସୃଷ୍ଟି କଲେ। ଦନେଇ ଦାସଙ୍କ 'ଗୋପୀଭାଷା', ବାଳକ ଶ୍ରୀହରି ଦାସଙ୍କ 'ମୟୁର ଚନ୍ଦ୍ରିକା', ନରସିଂହ ସେଣଙ୍କ 'ପରିମଳା', ଦେବଦୁର୍ଲଭ ଦାସଙ୍କ 'ରହସ୍ୟ ମଞ୍ଜରୀ', ଶିଶୁ ଶଙ୍କର ଦାସଙ୍କ 'ଉଷାଭିଳାଷ', ପ୍ରତାପ ରାୟଙ୍କ 'ଶଶିସେଣା', ପୁରୁଷୋତ୍ତମ ଦାସଙ୍କ 'କାଞ୍ଚୁକାବେରୀ' ଆଦି ଏହି ଯୁଗର ପ୍ରମୁଖ କୃତି।
ରୀତି ଯୁଗ
ସପ୍ତଦଶ ଶତାବ୍ଦୀର ମଧ୍ୟ ଭାଗ ପରେ ପରେ ସମୃଦ୍ଧ ରୀତି କାବ୍ୟ ରଚନାର ପରମ୍ପରା ସୃଷ୍ଟି ହେଲା। ଏହି ସମୟକୁ ମୋଗଲ ଦରବାରକୁ ଆଦର୍ଶ କରି ରାଜାମାନେ ଦରବାର ପ୍ରଥା ପ୍ରଚଳନ କଲେ। କାବ୍ୟରେ ଅଳଙ୍କାରର ବହୁଳ ପ୍ରୟୋଗ କରାଗଲା ଏବଂ ଭାଷା କ୍ରମେ ସ୍ୱାଭାବିକତା ହରାଇ ସଂସ୍କୃତାୟିତ ହୋଇଗଲା। ଦିବ୍ୟସିଂହଦେବଙ୍କ ରାଜତ୍ୱ କାଳରେ ଏକ କାବ୍ୟିକ ବାତାବରଣ ସୃଷ୍ଟି ହୋଇଥିଲା। ଭକ୍ତକବି ଦୀନକୃଷ୍ଣ ଦାସ ରାଜାଙ୍କ ଆଦେଶକୁ ପ୍ରତ୍ୟାଖ୍ୟାନ କରି ରାଜରୋଷର ଶିକାର ହୋଇଥିଲେ ମଧ୍ୟ ନିଜର ସ୍ୱାଭିମାନ ଓ ଭକ୍ତିନିଷ୍ଠା ବଜାୟ ରଖିଥିଲେ। ତାଙ୍କର ପ୍ରସିଦ୍ଧ କାବ୍ୟ 'ରସକଲ୍ଲୋଳ' 'କ' ଆଦ୍ୟ ନିୟମରେ ରଚିତ। ଏହି ଯୁଗର ଶ୍ରେଷ୍ଠକବି ହେଲେ 'କବିସମ୍ରାଟ' ଉପେନ୍ଦ୍ର ଭଞ୍ଜ। ସେ ନାନା ଅଳଙ୍କାର ଶାସ୍ତ୍ର, କୋଷଗ୍ରନ୍ଥ, ପୁରାଣ ଓ ଧର୍ମଶାସ୍ତ୍ରରେ ଗଭୀର ପାଣ୍ଡିତ୍ୟର ଅଧିକାରୀ ଥିଲେ। ତାଙ୍କର ପ୍ରମୁଖ କାବ୍ୟଗୁଡ଼ିକ ହେଲା 'ଲାବଣ୍ୟବତୀ', 'କୋଟି ବ୍ରହ୍ମାଣ୍ଡସୁନ୍ଦରୀ', 'ବୈଦେହୀଶ ବିଳାସ' ('ବ' ଆଦ୍ୟ ନିୟମ), 'ସୁଭଦ୍ରା ପରିଣୟ' ('ସ' ଆଦ୍ୟ ନିୟମ), 'କଳାକଉତୁକ' ('କ' ଆଦ୍ୟ ନିୟମ), 'ତ୍ରୈଲୋକ୍ୟ ମୋହିନୀ' ('ତ' ଆଦ୍ୟ ନିୟମ) ଇତ୍ୟାଦି। ମଧ୍ୟଯୁଗର ଅନ୍ୟତମ ବିଶିଷ୍ଟ କବି ବ୍ରଜନାଥ ବଡ଼ଜେନାଙ୍କ 'ଚତୁର ବିନୋଦ' ଏକ ପ୍ରମୁଖ ଗଦ୍ୟ ଗ୍ରନ୍ଥ, ଯାହାର ଭାଷା ସରଳ ଓ ଆଧୁନିକ ଗଦ୍ୟର ନିକଟବର୍ତ୍ତୀ।
ସନ୍ଥ ସାହିତ୍ୟ
ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ସନ୍ଥ ସାହିତ୍ୟର ଏକ ସ୍ୱତନ୍ତ୍ର ଧାରା ମଧ୍ୟ ପ୍ରବାହିତ ହୋଇଥିଲା। ଏହି ସାହିତ୍ୟ ମଣିଷର ଉତ୍ତୋଳନ, ସତ୍ୟ ଓ ଧର୍ମ ମାର୍ଗରେ ନେବା ପାଇଁ ପ୍ରେରଣା ଦେଇଥିଲା। ମହାପୁରୁଷ ହାଡ଼ି ଦାସଙ୍କ 'ଭାବ ବିଳାସ', 'ଅନାଦି', 'ଭାବନାବର' ଏବଂ ଅରକ୍ଷିତ ଦାସଙ୍କ 'ମହୀମଣ୍ଡଳ ଗୀତା' ଏହାର ଉଦାହରଣ। ମହିମା ଧର୍ମର ଆଦିକବି ଭୀମଭୋଇ 'ସ୍ତୁତି ଚିନ୍ତାମଣି', 'ନିର୍ବେଦ ସାଧନ', 'ଶ୍ରୁତି ନିଷେଧ ଗୀତା' ଆଦି ରଚନା କରିଥିଲେ। ତାଙ୍କର ଆଦର୍ଶ ଥିଲା – "ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।" ସେ ଜାତି, ଧର୍ମ ନିର୍ବିଶେଷରେ ମଣିଷ ମଙ୍ଗଳକୁ ଲକ୍ଷ୍ୟ କରିଥିଲେ।
ଉପସଂହାର
ସାରଳା ଦାସଙ୍କଠାରୁ ଭୀମଭୋଇଙ୍କ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚଶହ ବର୍ଷ ଧରି ଓଡ଼ିଆ ସାହିତ୍ୟ ବିବିଧ ରୂପ ଓ ଭାବକୁ ନେଇ ସୃଷ୍ଟି ହୋଇଛି। ଓଡ଼ିଶାର ବିପର୍ଯ୍ୟୟ ଓ ପରାଧୀନତା ସତ୍ତ୍ୱେ ଓଡ଼ିଆ ଭାଷା ଓ ସଂସ୍କୃତି ଲୋପ ପାଇନାହିଁ, ବରଂ ଏହି ସାହିତ୍ୟ ଓଡ଼ିଆ ଜାତିର ଆତ୍ମପରିଚୟର ବାର୍ତ୍ତା ବହନ କରିଛି।