କୋଷ ପରିଚୟ (Introduction to Cell)
ସମସ୍ତ ଜୀବ କୋଷରେ ଗଠିତ । କୋଷ ହେଉଛି ଜୀବନର ମୌଳିକ ଏବଂ କାର୍ଯ୍ୟାତ୍ମକ ଏକକ ଅଟେ । ଏହି କୋଷଗୁଡ଼ିକ ଅତି କ୍ଷୁଦ୍ର, ସାଧାରଣ ଆଖିକୁ ଦେଖାଯାନ୍ତି ନାହିଁ । ପ୍ରତ୍ୟେକ କୋଷଗୁଡ଼ିକର ଆକାର ଓ ଆକୃତି ଅଲଗା ଅଲଗା ହୋଇଥାଏ । ମାନବ ଶରୀରରେ ପ୍ରାୟ ୧୦୦ ନିୟୁତ କୋଷ ଅଛି । ସର୍ବବୃହତ୍ତମ କୋଷ ହେଉଛି ଓଟପକ୍ଷୀ ଅଣ୍ଡା, ଯାହାର ଆକାର ମିଲିମିଟର । କୋଷର ଆକାରକୁ ମାଇକ୍ରୋମିଟର ବା ମାଇକ୍ରନରେ ମପାଯାଏ, ଯେଉଁଠାରେ ।
କୋଷର ଆବିଷ୍କାର (Discovery of Cell)
୧୬୬୫ ମସିହାରେ ରବର୍ଟ ହୁକ୍ (Robert Hooke) ନାମକ ଜଣେ ବୈଜ୍ଞାନିକ ଏକ କର୍କ (cork) ର ପତଳା ଖଣ୍ଡକୁ ନିଜ ତିଆରି ଏକ ସରଳ ଅଣୁବୀକ୍ଷଣ ସାହାଯ୍ୟରେ ଅନୁଧ୍ୟାନ କରିଥିଲେ । ସେଥିରେ ସେ ଗୋଟିଏ ମହୁଫେଣାରେ ଥିବା ଛୋଟ ଛୋଟ କୋଠରୀ ସଦୃଶ୍ୟ ଅନେକ କୋଠରୀ ଲକ୍ଷ୍ୟ କରିଥିଲେ ଓ ସେହି କୋଠରୀଗୁଡ଼ିକୁ ସେ “କୋଷ” (Cell) ବୋଲି ନାମିତ କରିଥିଲେ । ପରବର୍ତ୍ତୀ ସମୟରେ ୧୮୩୧ ମସିହାରେ ରବର୍ଟ ବ୍ରାଉନ୍ଙ୍କ ଦ୍ଵାରା ନ୍ୟଷ୍ଠି (Nucleus) ଏବଂ ୧୮୩୯ ମସିହାରେ ପୁରୁକନ୍ଜୀଙ୍କ ଦ୍ଵାରା ଆଦିଜୀବକ (Protoplast) ଆବିଷ୍କୃତ ହୋଇଥିଲା ।
କୋଷ ତତ୍ତ୍ୱ (Cell Theory)
ଜୀବକୋଷର ଆକାର, ସଂଗଠନ ଓ କାର୍ଯ୍ୟକାରିତାକୁ ଆଧାରକରି ୧୮୩୯ ମସିହାରେ ସିଲଡନ୍ ଓ ସ୍ଵାନ୍ (Schleiden and Schwann) “କୋଷ ତତ୍ତ୍ୱ” (Cell Theory) ବର୍ଣ୍ଣନା କରିଥିଲେ । ଏହି ତତ୍ତ୍ୱର ମୁଖ୍ୟ ବିଷୟବସ୍ତୁ ହେଲା:
- ସମସ୍ତ ଜୀବ କୋଷରେ ଗଠିତ ।
- କୋଷ ଜୀବନର ମୌଳିକ ଏବଂ କାର୍ଯ୍ୟାତ୍ମକ ଏକକ ଅଟେ ।
ପୁଣି ୧୮୫୫ ମସିହାରେ ଭିରଚୋ (Virchow) କହିଥିଲେ ଯେ, “କୋଷ ବିଭାଜନକ୍ଷମ ଓ ନୂତନ କୋଷର ସୃଷ୍ଟି ସର୍ବଦା ପୂର୍ବକୋଷରୁ ସମ୍ଭବ ହୋଇଥାଏ ।”
ଜୀବମାନଙ୍କର ପ୍ରକାରଭେଦ (Types of Organisms)
କୋଷ ସଂଖ୍ୟାକୁ ଭିତ୍ତିକରି ଜୀବମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି:
-
ଏକକୋଷୀ ଜୀବ (Unicellular Organism): ଯେଉଁ ଜୀବମାନଙ୍କ ଶରୀର ଗୋଟିଏ କୋଷରେ ଗଠିତ, ସେମାନଙ୍କୁ ଏକକୋଷୀ ଜୀବ କୁହାଯାଏ । ଉଦାହରଣସ୍ୱରୂପ: ଭାଇରସ, ବାକ୍ଟେରିଆ, ଆଦିଜୀବ (ଯଥା: ଏମିବା), ନୀଳହରିତ୍ ଶୈବାଳ । ଏମିବା ଭଳି ଏକକୋଷୀ ଜୀବମାନଙ୍କର ସମସ୍ତ ଜୀବନ ପ୍ରକ୍ରିୟା ଯଥା: ପରିପାକ (Digestion), ଶ୍ୱାସକ୍ରିୟା (Respiration), ରେଚନ (Excretion), ବୃଦ୍ଧି (Growth) ଓ ପ୍ରଜନନ (Reproduction) ଆଦି କେବଳ ଗୋଟିଏ କୋଷ ମଧ୍ୟରେ ସମାହିତ ହୋଇଥାଏ ।
-
ବହୁକୋଷୀ ଜୀବ (Multicellular Organism): ଯେଉଁ ଜୀବମାନଙ୍କ ଶରୀର ବହୁକୋଷ ବିଶିଷ୍ଟ ହୋଇଥାଏ, ସେମାନଙ୍କୁ ବହୁକୋଷୀ ଜୀବ କୁହାଯାଏ । ଉଦାହରଣସ୍ୱରୂପ: ଉଦ୍ଭିଦ ଓ ପ୍ରାଣୀ ।
କୋଷର ମୁଖ୍ୟ ଅଂଶ ଓ ପ୍ରକାରଭେଦ (Main Parts and Types of Cells)
କୋଷରେ ବିଭିନ୍ନ ଅଂଶ ଥାଏ । ମୁଖ୍ୟ ଅଂଶଗୁଡ଼ିକ ହେଲା କୋଷଝିଲ୍ଲୀ (Cell membrane), କୋଷରସ (Cytoplasm) ଓ ନ୍ୟଷ୍ଠି (Nucleus) । ନ୍ୟଷ୍ଠି କୋଷର ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ କରେ ଏବଂ କୋଷର ବୃଦ୍ଧି ଓ ବିକାଶରେ ସହାୟକ ହୁଏ । କୋଷରସରେ ଅନେକ ଛୋଟ ଅଙ୍ଗୀକା ଯଥା ମାଇଟୋକଣ୍ଡ୍ରିଆ, ଗଲଜିକାୟ, ରାଇବୋଜୋମ, ଲାଇସୋଜୋମ, ଏଣ୍ଡୋପ୍ଲାଜମିକ୍ ରେଟିକ୍ୟୁଲମ, ଭାକ୍ୟୁଓଲ ଇତ୍ୟାଦି ଉପସ୍ଥିତ ଥାଏ । କୋଷଝିଲ୍ଲୀ କୋଷର ଆକାର ଓ ଆକୃତି ନିର୍ଦ୍ଧାରଣ କରେ । ଉଦ୍ଭିଦ କୋଷରେ କୋଷପ୍ରାଚୀର ଥାଏ, କିନ୍ତୁ ପ୍ରାଣୀ କୋଷରେ ନଥାଏ ।
ନ୍ୟଷ୍ଠିର ସଂଗଠନ ଅନୁସାରେ କୋଷକୁ ଦୁଇ ପ୍ରକାରରେ ବିଭକ୍ତ କରାଯାଇଥାଏ:
-
ପ୍ରାକ୍ନ୍ୟଷ୍ଠିୟ କୋଷ (Prokaryotic cell): ଏହି କୋଷରେ ନ୍ୟଷ୍ଠିଟି ଅସଂଗଠିତ ଓ ସେଥିରେ ଗୁଣସୂତ୍ର ବା କ୍ରୋମୋଜୋମ୍ (Chromosome) ଓ ନ୍ୟୁକ୍ଲିଓଲସ୍ (Nucleolus) ନଥାଏ । ଏଥିରେ କୋଷକେନ୍ଦ୍ର ଝିଲ୍ଲୀ (Nuclear membrane) ମଧ୍ୟ ନଥାଏ । ଉଦାହରଣ: ବାକ୍ଟେରିଆ, ନୀଳ ହରିତ ଶୈବାଳ ।
-
ସୁନ୍ଯଷ୍ଠିୟ କୋଷ (Eukaryotic cell): ଏହି କୋଷରେ ନ୍ୟଷ୍ଠିଟି ସୁସଂଗଠିତ ହୋଇଥାଏ ଏବଂ ତହିଁରେ କ୍ରୋମୋଜୋମ୍ ଓ ନ୍ୟୁକ୍ଲିଓଲସ୍ ରହିଥାଏ । ଏଥିରେ କୋଷକେନ୍ଦ୍ର ଝିଲ୍ଲୀ ଥାଏ । ଉଦାହରଣ: ଉଦ୍ଭିଦ ଓ ପ୍ରାଣୀ କୋଷ ।
କ୍ରୋମୋଜୋମ ବଂଶଗତ ଗୁଣର ବାହକ ଅଟେ । ଜୀନ୍ (Gene) ହେଉଛି ଜୀବର ମୌଳିକ ଏକକ ଏବଂ ଏହା ମଧ୍ୟ ବଂଶଗତ ଗୁଣର ବାହକ ଅଟେ ।
ଉଦାହରଣ: ତୁମେ ଗୋଟିଏ ପିଆଜର ଏକ ପତଳା ଆବରଣ ବାହାର କରି ଅଣୁବୀକ୍ଷଣ ସାହାଯ୍ୟରେ ଅନୁଧ୍ୟାନ କର । ତୁମେ ପ୍ରାୟ ଏକ ପ୍ରକାର ଓ ଏକ ଆକୃତିର ଅନେକ କୋଠରୀ ଦେଖିବାକୁ ମିଳିବ, ଯାହାଦ୍ଵାରା ପୂରା ପିଆଜଟି ଗଠିତ । ପିଆଜର ପତଳା ଆବରଣରେ ଥିବା ସେହି ଏକ ପ୍ରକାର ଓ ଆକୃତିର କୋଠରୀଗୁଡ଼ିକୁ କୋଷ କୁହାଯାଏ । ଏହା ଦର୍ଶାଏ ଯେ ସମସ୍ତ ଉଦ୍ଭିଦ ଏବଂ ପ୍ରାଣୀ କୋଷରେ ଗଠିତ ।