ପ୍ରଥମ ବିଶ୍ୱଯୁଦ୍ଧ ପରେ ଗଣତାନ୍ତ୍ରିକ ଚିନ୍ତାଧାରା ଓ ଶକ୍ତି ଏକତ୍ରୀକରଣ
ପ୍ରଥମ ବିଶ୍ୱଯୁଦ୍ଧର ସମାପ୍ତି ପରେ, ମିତ୍ରଶକ୍ତିର ଯୁଦ୍ଧୋତ୍ତର ଘୋଷଣା ଲୋକମାନଙ୍କୁ ଗଣତନ୍ତ୍ର ପ୍ରତି ପ୍ରେରଣା ପ୍ରଦାନ କଲା। ଫଳସ୍ୱରୂପ, ଇଉରୋପର ପ୍ରାୟ ଅଧିକାଂଶ ଦେଶରେ ରାଜତନ୍ତ୍ର ସ୍ଥାନରେ ଗଣତାନ୍ତ୍ରିକ ସରକାର ଗଠିତ ହେଲା। ଜର୍ମାନୀର ଅଧିବାସୀମାନେ ଗଣତାନ୍ତ୍ରିକ ଆବେଗରେ ଏତେ ଉତ୍ସାହିତ ହୋଇଯାଇଥିଲେ ଯେ ସେମାନେ ତାଙ୍କ ଦେଶରେ ରାଜତନ୍ତ୍ର ସମାପ୍ତି ଘୋଷଣା କରି ସାଧାରଣତନ୍ତ୍ର ପ୍ରତିଷ୍ଠା କଲେ। ଏହା ଜର୍ମାନୀର ଏକତ୍ରୀକରଣ ପରେ ପ୍ରଥମ ସାଧାରଣତନ୍ତ୍ରୀୟ ସରକାର ଥିଲା। ତେବେ, ଫ୍ରାନ୍ସର ଭର୍ସାଇଠାରେ ଜର୍ମାନୀ ସହିତ ସ୍ୱାକ୍ଷରିତ ହୋଇଥିବା ଭର୍ସାଇ ଚୁକ୍ତି ଏକତରଫା, ନିର୍ଦ୍ଦେଶାତ୍ମକ ଓ ଅପମାନଜନକ ହୋଇଥିବାରୁ ଏହା ଜର୍ମାନୀରେ ପ୍ରତିଶୋଧପରାୟଣତା ସୃଷ୍ଟି କଲା ଏବଂ ପରବର୍ତ୍ତୀ ବିଶ୍ୱଯୁଦ୍ଧ ପାଇଁ କାରଣ ହେଲା।
ଆନ୍ତର୍ଜାତିକତାବାଦର ବିକାଶ ଓ ଜାତିସଂଘ
ପ୍ରଥମ ବିଶ୍ୱଯୁଦ୍ଧର ବିନାଶକାରୀ ପରିଣାମ ବିଭିନ୍ନ ରାଷ୍ଟ୍ରମାନଙ୍କର ଆଖି ଖୋଲିଦେଲା। ସେମାନେ ଉପଲବ୍ଧି କଲେ ଯେ ପରସ୍ପର ମଧ୍ୟରେ ସହଯୋଗ ଓ ବନ୍ଧୁତା ବିନା ଶାନ୍ତି ଓ ସଦ୍ଭାବ ପ୍ରତିଷ୍ଠା ହୋଇପାରିବନାହିଁ। ସମସ୍ୟାଗୁଡ଼ିକର ସମାଧାନ ପାଇଁ ଯୁଦ୍ଧ ଏକମାତ୍ର ବିକଳ୍ପ ପନ୍ଥା ନୁହେଁ ବୋଲି ମଧ୍ୟ ସେମାନେ ଅନୁଭବ କଲେ। ଏହିପରି ରାଷ୍ଟ୍ରମାନଙ୍କ ମଧ୍ୟରେ ଆନ୍ତର୍ଜାତିକତାବାଦର ବିକାଶ ଘଟିବା ଫଳରେ ଭବିଷ୍ୟତରେ ଏଭଳି ଯୁଦ୍ଧର ଆଶଙ୍କାକୁ ଦୂର କରି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଅବଲମ୍ବନ କରିବା ଉଦ୍ଦେଶ୍ୟରେ ୧୯୧୯ ମସିହାରେ ପ୍ୟାରିସ୍ ଶାନ୍ତି ସମ୍ମିଳନୀ ଆହୁତ ହୋଇଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଉଡ୍ଜୋ ଉଇଲସନ୍ଙ୍କ ପ୍ରସ୍ତାବ ଅନୁଯାୟୀ, ରାଷ୍ଟ୍ରମାନଙ୍କ ସମସ୍ୟାଗୁଡ଼ିକୁ ପରସ୍ପର ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସ୍ଥାୟୀ ଭାବରେ ଏକ ଅନ୍ତର୍ଜାତିକ ଅନୁଷ୍ଠାନ ପ୍ରତିଷ୍ଠା କରିବାପାଇଁ ଏହି ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା। ଏହି ନିଷ୍ପତ୍ତିର ଫଳସ୍ୱରୂପ ଜାତିସଂଘ (League of Nations) ପ୍ରତିଷ୍ଠା ହେଲା।
ଭାରତୀୟ ଜାତୀୟତାବାଦର ଚିନ୍ତାଧାରା ଓ ଶକ୍ତି ଏକତ୍ରୀକରଣ
ଇଂରେଜ ଶାସନର ବର୍ଣ୍ଣ ବୈଷମ୍ୟ ନୀତି, ଅପମାନଜନକ ବ୍ୟବହାର ଏବଂ କୁଶାସନ ଭାରତୀୟମାନଙ୍କ ମନରେ ଜାତୀୟ ଚେତନାର ଅଭିବୃଦ୍ଧିରେ ସହାୟକ ହୋଇଥିଲା। ବଡ଼ ଲାଟ ଲର୍ଡ ଲିଟନ ଓ ଲର୍ଡ କର୍ଜନଙ୍କ କୁଶାସନ ଜାତୀୟ ଜାଗରଣର ବିକାଶଧାରାକୁ ପରୋକ୍ଷରେ ସାହାଯ୍ୟ କଲା। ଭାରତୀୟମାନେ ଧୀରେ ଧୀରେ ଇଂରେଜ ଶାସନ ପ୍ରତି ବୀତସ୍ପୃହ ହେବା ସହିତ ଇଂରେଜ ଶାସନର ବିଲୋପ ପାଇଁ ପ୍ରତିଜ୍ଞାବଦ୍ଧ ହେଲେ। ସେମାନେ ଉପଲବ୍ଧି କଲେ ଯେ, ଇଂରେଜମାନଙ୍କ ଠାରୁ ନ୍ୟାୟ ଆଶା କରିବା ବୃଥା। ତେଣୁ ଅନ୍ୟାୟକୁ ବିରୋଧ କରିବା ପାଇଁ ଭାରତୀୟମାନେ ଆଗଭର ହେଲେ ଓ ଇଂରେଜମାନଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ। ଏ ସବୁର ଫଳସ୍ୱରୂପ ୧୮୮୫ ମସିହାରେ “ଭାରତୀୟ ଜାତୀୟ କଂଗ୍ରେସ” ଜନ୍ମ ନେଲା। ଏହାର ମୂଳ ଲକ୍ଷ୍ୟ ଥିଲା ଜାତୀୟ ଚେତନାର ଅଭିବୃଦ୍ଧି, ଦେଶାତ୍ମବୋଧ ଭାବର ପ୍ରସାର ଓ ଜାତୀୟ ଏକତାର ବିକାଶ। ଏହି ସଂଗଠନ ଭାରତୀୟ ଜାତୀୟତା ଭାବଧାରାକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିଥିଲା ଏବଂ ସ୍ୱାଧୀନତା ସଂଗ୍ରାମକୁ ଅଧିକ ଜୋରଦାର କରିଥିଲା, ଯାହା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଭାରତକୁ ସ୍ୱାଧୀନତା ପ୍ରଦାନ କଲା।